Unknown

 

 

 

 

 

 

 

 

 

ବିବିଧ ବିଷ ଚିକିତ୍ସା

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ସ୍ଥାବର ଓ ଜଙ୍ଗମ ଭେଦରେ ବିଷ ଦୁଇ ପ୍ରକାର । ପତ୍ର, ଫଳ, ମୂଳ, କ୍ଷୀର, ଏବଂ ଧାତୁ ପ୍ରଭୃତିର ବିଷକୁ ସ୍ଥାବର ବିଷ; ସାପ, ବିଛା, କୁକୁର,ଆଦି ପ୍ରାଣୀମାନଙ୍କର ବିଷକୁ ଜଙ୍ଗମ ବିଷ କହନ୍ତି ।

 

ସ୍ଥାବର ବିଷ ଉଦରସ୍ଥ ହେବା ମାତ୍ରେ (ବିଳମ୍ବ ନ କରି) ବମନ ହେବାର ଉପାୟ କରିବ-। ବୈଦ୍ୟ ଶାସ୍ତ୍ରରେ ଲିଖିତ ଅଛି ।

 

“ସ୍ଥାବରେଣ ବିଷେଣାର୍ତ୍ତନରଂ ଯତ୍ନେନ ବାମୟେତ୍

ବାମନେନ ସମଂନାସ୍ତି ଯତସ୍ତସ୍ୟ ଚିକିତ୍ସିତ°”

 

ସ୍ଥାବର ବିଷ ପୀଡ଼ିତ ବ୍ୟକ୍ତିକୁ ଯତ୍ନ ପୂର୍ବକ ବମନ କରାଇବ । ଯେହେତୁ ବମନ ପରି ସ୍ଥାବର ବିଷୟର ଅନ୍ୟ ଚିକିତ୍ସା ନାହିଁ ।

 

ଖଣ୍ଡେ ତମ୍ବା ବା ପଇସା କଳରେ ଜାକିଲେ ବାନ୍ତି ହୁଏ । ସୋରିଷ ଗୁଣ୍ଡ ଏକତୋଳା କିମ୍ବା ଲୁଣ ଦେଢ଼ତୋଳା ଗରମ ଜଳରେ ମିଶାଇ ପାନ କଲେ ବମନ ହୁଏ । ଏକପା ଅନ୍ଦାଜ ଗୋରୁମୂତ ପାନ କଲେ କିମ୍ବା ମହିରିଗିରିଆ (ତୁତିଆ) ମିଶାଇ ପାନ କଲେ ବମନ ହୁଏ ।

 

ଅପରାଜିତା ମୂଳକୁ ଘିଅ ସହିତ ସେବନରେ ଚର୍ମ୍ମଗତ, ଦୁଗ୍ଧ ସହିତ ସେବନରେ ରକ୍ତଗତ, କୁଢ଼ଚୂର୍ଣ୍ଣ ସହିତ ସେବନରେ ମାଂସଗତ, ହଳଦୀଚୂର୍ଣ୍ଣ ସହିତ ସେବନରେ ଅସ୍ତିଗତ, କାଙ୍କୋଳୀ ଚୂର୍ଣ୍ଣ ସହିତ ସେବନରେ ମେଦୋଗତ, ପିପଳୀଚୂର୍ଣ୍ଣ ସହିତ ସେବନ କଲେ ମଜ୍ଜାଗତ ବିଷ ନଷ୍ଟ ହୁଏ । ଅତଏବ ସର୍ବ ପ୍ରକାର ବିଷ ନାଶ ବିଷୟରେ ଅପରାଜିତାମୂଳ ପ୍ରଶସ୍ତ ଅଟେ ।

 

ବିଷ ପକ୍ଵାଶୟଗତ ହେଲେ ପିପ୍ପଳୀ, ଗଜପିପ୍ପଳୀ, ହଳଦୀ, ଦାରୁହଳଦୀ, ମଞ୍ଜିଷ୍ଠା ସମଭାଗରେ ମିଶାଇ ଜଳରେ ବାଟି ଅଧତୋଳା ମାତ୍ରାରେ ଜଳ ସହିତ ପାନ କରିବ ।

 

ସୈନ୍ଧବ, ମରିଚ ଓ ନିମ୍ବମଞ୍ଜି ସମଭାବରେ ମିଶାଇ ଚୂର୍ଣ୍ଣ କରି ତହିଁରେ ଘିଅ ଓ ମହୁ ମିଶାଇ ସେବନ କଲେ ସ୍ଥାବର ଓ ଜଙ୍ଗମ ଉଭୟ ପ୍ରକାର ବିଷ ବିନଷ୍ଟ ହୁଏ ।

 

ବିଛା କାମୁଡ଼ିଲେ କି କି ଉପାୟ ଅବଲମ୍ବନ କରିବାକୁ ହେବ ତାହା ନିମ୍ନରେ ପ୍ରକାଶ କରାଯାଉଅଛି ।

 

ଗୋବରକୁ ଗରମ କରି ଲେପ ଦେବ । ମୁଥା ବା ବିଛୁଆତି ପତ୍ର ବାଟି ଲେପ ଦେବ ।

ପତ୍ର ସିଝୁ ଗଛର କ୍ଷୀର ଲେପ ଦେବ ।

ଗନ୍ଧକ ଘୋରି ବୋଳିଲେ ଉପକାର ହୁଏ ।

ପଥର କୋଇଲାକୁ ଜଳ ସହିତ ଘୋରି ଲେପ ଦେବ ।

କଳା କାସେଣ୍ଡି ପତ୍ରର ନଳଦ୍ଵାରା କାନ ଫୁଙ୍କିବ ।

ତୁଳସୀ ପତ୍ରର ରସକୁ ଦଂଶନ ସ୍ଥାନରେ ମାଲିସ କରିବ ।

ଗୁଆଘିଅ ଓ ସୈନ୍ଧବ ଲୁଣକୁ ଏକତ୍ର କରି ମାଲିସ କରିବ ।

ଗୁଆଘିଅକୁ ଗରମ କରି କ୍ଷତ ସ୍ଥାନରେ ମର୍ଦ୍ଦନ କରିବ ।

ଉଷ୍ମ ଗୁଆଘିଆ ପାନ କରିବ ଏବଂ କ୍ଷତ ସ୍ଥାନରେ ଗରମ ଜଳର ସେକ ଦେବ ।

ତାର୍ପିନତେଲ ଦଂଶନ କରିଥିବା ସ୍ଥାନରେ ଲଗାଇବ ।

ଭେଣ୍ଡି ମଞ୍ଜିକୁ ଘୋରି କ୍ଷତ ସ୍ଥାନରେ ଲେପ ଦେବ ।

ଶୁଣ୍ଠିକୁ ବାଟି ଜଳରେ ଗୋଳି ନାକରେ ତେଣ୍ଡିବ ।

ଦଂଶନ କରିଥିବା ବିଛାକୁ ଛେଚି କ୍ଷତ ସ୍ଥାନରେ ଲଗାଇ ରଖିବ ।

ନୂତନ ସରା କିମ୍ବା ପୋଡ଼ା ମାଟିକୁ ଜଳଦ୍ଵାରା ପଥରରେ ଘୋରି ଲେପ ଦେବ ।

ତୁଳସୀ ମୂଳକୁ ବାଟି ଗୋଲା କରି ଦଂଶନ ସ୍ଥାନ ଉପରେ ବୁଲାଇବ ।

କାକୁଡ଼ିଆ ଘାସର ଚେରକୁ ବାଟି ପାନ କରିବ ।

ଅଣ୍ଡିରା ମହାକାଳ ମୂଳକୁ ଘୋରି ଲେପ ଦେବ ।

ବିଛା ବା କଙ୍କଡ଼ାବିଛା କାମୁଡ଼ିଥିବା ସ୍ଥାନ ଉପରେ କଲିଚୂନ ଲଗାଇବ ।

ସୂର୍ଯ୍ୟାବର୍ତ୍ତ (ହୁଡ଼ୁହୁଡ଼େ) ପତ୍ରକୁ ହାତରେ ଦଳି ଶୁଙ୍ଘିବ ।

ଅରଖ ଗଛର ମୂଳକୁ ବାଟି କଲିଚୂନ ମିଶାଇ ଲେପ ଦେବ ।

କ୍ଷତ ସ୍ଥାନ ଉପରେ ଅରଖପତ୍ର ବାନ୍ଧିଦେଲେ ଉପକାର ହୁଏ ।

ସଦ୍ୟ ନିଃସୃତ ଛେଳୀ ଲେଣ୍ଡି କ୍ଷତ ସ୍ଥାନରେ ଲଗାଇବ ।

ତାଳମୂଳିକୁ ବାଟି କାମୁଡ଼ିଥିବା ସ୍ଥାନ ଉପରେ ଲେପ ଦେବ ।

ବଟା ଜୀରାରେ ଘିଅ ଓ ସୈନ୍ଧବ ଲୁଣ ମିଶାଇ ଅଳ୍ପ ଉଷ୍ମ କରି ଲେପ ଦେବ ।

ନବାତକୁ ଗୁଣ୍ଡ କରି କ୍ଷତସ୍ଥାନ ଉପରେ ଘଷିବ ।

ପଣସ ମଞ୍ଜିକୁ ଘୋରି ଦଂଶନ କରିଥିବା ସ୍ଥାନ ଉପରେ ବୋଳିବ ।

 

ଦଂଶନ କରିଥିବା ସ୍ଥାନ ଉପରେ ପ୍ରଥମେ ଗୁଗୁଳର ଧୂଆଁ ଦେଇ ବଟା ଅରଖପତ୍ର ଲେପ ଦେବ ।

 

ସୋରିଷ ତେଲ କିମ୍ବା କିରାସିନି ତେଲ କ୍ଷତ ସ୍ଥାନରେ ମାଲିସ କରିବ ।

ଶ୍ୱେତ କରବୀର କିମ୍ବା ଶ୍ୱେତ ଜବାର ମୂଳ ବାଟି ଲେପିବ ।

ଅଫିମ ଓ ମହୁ ମିଶାଇ କ୍ଷତ ସ୍ଥାନ ଉପରେ ବୋଳିବ ।

ଚିଟାଗୁଡ଼ କିମ୍ବା ଗୁଡ଼ାଖୁକୁ କାମୁଡ଼ିଥିବା ସ୍ଥାନ ଉପରେ ଲେପଦେବ ।

 

ଭିନିଗାର (ସିର୍କା) କ୍ଷତସ୍ଥାନରେ ଲଗାଇବ ବା ବଉଳ ମଞ୍ଜିକୁ ଜଳ ସହିତ ଘଷି ଲେପଦେବ ।

 

ଶ୍ୱେତ ଅରଖମୂଳକୁ ବାଟି ଲେପଦେଲେ କଙ୍କଡ଼ାବିଛା ଓ ବିରୁଡ଼ି କାମୁଡ଼ା ବିଷ ନଷ୍ଟ ହୁଏ-

 

ତେନ୍ତୁଳି ମଞ୍ଜିର ଶସ ବାଟି ଲେପଦେଲେ କଙ୍କଡ଼ାବିଛା ଓ ବିରୁଡ଼ି ବିଷ ବିନାଶ ହୁଏ ।

 

କ୍ଷତ ସ୍ଥାନକୁ ବାଘନଖୀଫଳ ଦୁଇଟି ଦ୍ୱାରା ଚିରି ସେହି ଦୁଇ ନଖକୁ ଗରମ ଜଳ ସହିତ ବାଟି ଲେପଦେବ ।

 

ଫୁଲଖଡ଼ିକୁ ଘୋରି ଲଗାଇବ । ଅଲେଖା ତାଳପତ୍ରକୁ ପୋଡ଼ି ତା’ର ପାଉଁଶ ଲଗାଇବ-। ମାଠିଆ ଭିତରର ଶିଉଳି ଲେପଦେବ ।

 

ଏଥିରେ ବିଛା, କଙ୍କଡ଼ାବିଛା ଓ ବିରୁଡ଼ିର ବିଷ ନଷ୍ଟ ହୁଏ ।

 

ଅତଃପର କୁକୁର ଓ ଶୃଗାଳ ଦଂଶନ କଲେ କି କି ଉପାୟ କରିବାକୁ ହେବ ନିମ୍ନରେ ଲେଖାଯାଉଅଛି ।

 

ଶିରିଷ ମଞ୍ଜିକୁ ସିଝୁ କ୍ଷୀର ସହିତ ଘଷି କୁକୁର କାମୁଡ଼ିଥିବା ସ୍ଥାନରେ ଲେପଦେବ । ଚାଉଳକୁ ବାଟି ତହିଁରେ ମେଣ୍ଢାଲୋମ ପୂରାଇ ସେବନ କଲେ କିମ୍ବା ଦୁଦୁରାମୂଳ ଦୁଧରେ ବାଟି ପାନ କଲେ କୁକୁର ବିଷ ନଷ୍ଟ ହୁଏ । କୁକୁର କାମୁଡ଼ିଲେ ଅନ୍ୟ କୁକୁରର ୭ଟି ଲୋମ, ବିଲୁଆ କାମୁଡ଼ିଲେ ଅନ୍ୟ ବିଲୁଆର ୭ଟି ଲୋମ ପାଚିଲା କଦଳୀରେ ମିଶାଇ ଭକ୍ଷଣ କରିବ ।

 

ବାୟା କୁକୁର ବା ଶୃଗାଳ କାମୁଡ଼ିଥିଲେ ସେହି ସ୍ଥାନକୁ ଅସ୍ତ୍ର ଦ୍ଵାରା ଚିରି ତପ୍ତଲୁହା ବା ଏସିଡ୍ ଦ୍ଵାରା ପୋଡ଼ି ପକାଇବ ।

 

ଅରଖ କ୍ଷୀରରେ କପାତୁଳାକୁ ଓଦାକରି କୁକୁର ବା ବିଲୁଆ ଦଂଶନ କରିଥିବା ସ୍ଥାନରେ ବାନ୍ଧି ରଖିବ । ଶୁଖିଗଲେ ପୁନଶ୍ଚ ଅରଖ କ୍ଷୀର ମିଶ୍ରିତ ତୁଳା ଲଗାଇବ । ଏପରି କିଛିଦିନ କଲେ କ୍ଷତ ସ୍ଥାନ ପାଚି ପୂଜ ସହିତ ବିଷ ନିର୍ଗତ ହେବ ।

 

କୁକୁର କାମୁଡ଼ିଲେ ପ୍ରଥମେ ଗରମ ଜଳରେ, ପରେ ଧୁଆଁପତ୍ର ଚକଟା ଜଳରେ କ୍ଷତ ସ୍ଥାନକୁ ଧୋଇ ତା’ଉପରେ ଧୁଆଁପତ୍ର ପକାଇ ବାନ୍ଧି ରଖିବ ।

 

ବାୟା ବିଲୁଆ ବା କୁକୁର ଦଂଶନ କଲେ ଦୁଇଟା ବାଘନଖୀ ଫଳ ଚୁର୍ଣ୍ଣକରି ଅଧପା ଗୁଆଘିଅ ସହିତ ପାକ କରି ଦଂଶନ କାଳର ୧୫ ଦିନ ମଧ୍ୟରେ ରୋଗୀକୁ ତାହା ସେବନ କରାଇବ । ପ୍ରଥମ ଦିନ ଏକଛଟାଙ୍କି, ଦ୍ଵିତୀୟ ଦିନ ଏକଛଟାଙ୍କି ସେବନ କରିବାକୁ ହେବ । ପ୍ରଥମ ଦିନ ଔଷଧ ସେବନ କରି ପାଞ୍ଚ ଥର, ଦ୍ଵିତୀୟ ଦିନ ଦଶଥର ସ୍ନାନ କରି ଯେତେ ଇଚ୍ଛା ଜଳ ଓ ଗୁଆଘିଅ ପାନ କରିବାକୁ ହେବ । ରୋଗୀକୁ ସକାଳ ଓ ସନ୍ଧ୍ୟା ବେଳେ ଜଳପୂର୍ଣ୍ଣ ନଦୀ ବା ପୁଷ୍କରିଣୀ ତଟକୁ ନେଇ ସେ ସର୍ବଦା ଜଳକୁ ଚାହିଁ ବୁଲିବାର ଉପାୟ କରିବ । ଔଷଧ ସେବନ ପରେ ୩ ସପ୍ତାହ ଯାଏ ଫଳ ମୂଳାଦି, ଅମ୍ଳ ଓ ମିଷ୍ଟ ଦ୍ରବ୍ୟ ଏବଂ ମାଛ ମାଂସ ଭକ୍ଷଣ ଓ ସ୍ତ୍ରୀ ସହବାସ ନିଷିଦ୍ଧ ।

 

କଳା ଦୁଦୁରା ଚେର, ସୁଲତାନି ନବାତ, ଚନ୍ଦନ ଓ ବେଲପତ୍ର ଅଗି ବାଟି ୫ଥର ଖୁଆଇଲେ କୁକୁର ବିଷ ନଷ୍ଟ ହୁଏ ।

 

ବାଘଚମକୁ ପୋଡ଼ି ତାହାର ପାଉଁଶକୁ ପାଚିଲା କଦଳୀରେ ପୂରାଇ ବା ନବାତ ପଣାରେ ମିଶାଇ ଖୁଆଇଲେ, କିମ୍ବା କଳା ଦୁଦୁରାର ପର୍ବପାଖ ଚେର ଓ ଚିତାବାଘର ଜିଭକୁ ପାଚିଲା କଦଳୀ ସହିତ ଖାଇଲେ ବିଲୁଆ ଓ କୁକୁର ବିଷ ବିନଷ୍ଟ ହୁଏ ।

 

କ୍ଷତସ୍ଥାନର ମୁହଁକୁ ଖାରିଦେଇ ରକ୍ତ ମୋକ୍ଷଣ କରିବ । ପରେ ତା’ଉପରେ ତ୍ରିପୁରୀ ଦୁଦୁରାର ଅଗିକୁ ମଳି ତାହାର ରସ କ୍ଷତ ଉପରେ ଲଗାଇଲେ କୁକୁର ଓ ବିଲୁଆ ବିଷ ବିନଷ୍ଟ ହୁଏ-

 

କୁକୁର କାମୁଡ଼ିଲେ କ୍ଷତସ୍ଥାନରେ ବଟା କଲରାପତ୍ର ବା ବଟା ବଣସାରୁ ଲେପଦେବ । ଶ୍ୱେତପୁରୁଣୀ ବାଟି ପାନ କରିବ ।

 

ଅତଃପର ଅନ୍ୟାନ୍ୟ ବିଷନାଶକ ଔଷଧ ଭାଗମାନ ନିମ୍ନରେ ଉଲ୍ଲେଖ କରାଯାଉଅଛି ।

 

ଶ୍ୱେତ ତିହୁଡ଼ିରମୂଳ ଓ ତ୍ରିକଟୁକୁ ଏକତ୍ର ବାଟି ଘିଅ ମିଶାଇ ଲେପଦେଲେ ମତ୍ସ୍ୟବିଷ ବିନଷ୍ଟ ହୁଏ ।

 

ମୂଷିକ ଦଂଶନ କଲେ ଡାଲଚିନି ଓ ଶୁଣ୍ଠିକୁ ବାଟି ଗରମ ଜଳରେ ଗୋଳି ପାନ କରିବ ଏବଂ କାମୁଡ଼ିଥିବା ସ୍ଥାନର ରକ୍ତ ବାହାର କରିଦେଇ ଅଳନ୍ଧୁ, ମଞ୍ଜିଷ୍ଠା, ହଳଦୀ ଏବଂ ସୈନ୍ଧବ ଲୁଣ ବାଟି କ୍ଷତସ୍ଥାନ ଉପରେ ଲେପଦେବ ।

 

ମରିଚ, ଶୁଣ୍ଠି, କୁରୁବେଲି ଓ ନାଗେଶ୍ୱରକୁ ବାଟି ଲେପ ଦେଲେ ମହୁମାଛି ପ୍ରଭୃତିର ବିଷ ନଷ୍ଟ ହୁଏ ।

 

ପଟୋଳମୂଳ ଓ ନୀଳମୂଳକୁ କିମ୍ବା ହଳଦୀ, ଦାରୁହଳଦୀ, ବକମକାଠ, ମଞ୍ଜିଷ୍ଠା ଓ ନାଗେଶ୍ୱର ବାଟି ଲେପଦେଲେ ମାଙ୍କଡ଼ସା ପ୍ରଭୃତିର ଲାଳ ବିଷ ପ୍ରଶମିତ ହୁଏ ।

 

ମହୁଲ, ଯଷ୍ଟିମଧୁ, କୁଢ଼, ଚେମଡ଼ିଲଇ (ସୁଗନ୍ଧୀ) ମୂଳ, କୁରୁବେଲି, ପାଟଳୀ ଓ ନିମ୍ବ ଓ ଶୁଆଁଲଇକୁ ଜଳରେ ବାଟି ତହିଁରେ ମହୁ ମିଶାଇ ସେବନ କଲେ ବୁଢ଼ିଆଣୀ ଓ ମାଙ୍କଡ଼ସା ପ୍ରଭୃତିର ବିଷ ନାଶ ହୁଏ । ଡାଳିମ୍ବଚେର ଓ ଶ୍ୱେତ ପୁରୁଣୀ ବାସ ହୁକା ପାଣିରେ ବାଟି ଲେପଦେଲେ ମାଙ୍କଡ଼ସା ବିଷ ନଷ୍ଟ ହୁଏ ।

 

ମହୁମାଛି ଦଂଶନ କରିଥିବା ସ୍ଥାନ ଉପରେ, ସୈନ୍ଧବ ଲବଣ ବାଟି ଲଗାଇବ । କ୍ଷତସ୍ଥାନରେ ମହୁ ବା ପିଆଜ ରସ ଘଷିବ ।

 

ମାଙ୍କଡ଼ସା କାମୁଡ଼ିଥିଲେ ଘିଅରେ ସୈନ୍ଧବଲୁଣ ମିଶାଇ କ୍ଷତସ୍ଥାନରେ ଲଗାଇବ । ସେଠାରେ ଘା’ ହେଲେ ଘା’ ଉପରେ ଦୁଧସର ଲେପ ଦେବ ।

 

ଇନ୍ଦ୍ରଯବ, ତଗର ପାଦୁକା, ଜହ୍ନି, କଟୁକୀ ଓ ପିଢ଼ାଲାଉକୁ ବାଟି ପାନକଲେ ଏବଂ ନାକରେ ତେଣ୍ଡିଲେ ଓ ଲେପଦେଲେ ବିଛା, ମୂଷା, ବୁଢ଼ିଆଣୀ ଓ ସର୍ପର ବିଷ ବିନଷ୍ଟ ହୁଏ । ଏହା ଅମୃତ ପରି ଗୁଣଶାଳୀ, ଏହାଦ୍ୱାରା ଗରଳ (ସଂଯୋଗ ବିଷ) ଜନିତ ଅଜୀର୍ଣ୍ଣ ନିବାରଣ ହୁଏ ।

 

କୁମ୍ଭୀର କାମୁଡ଼ିଲେ କ୍ଷତସ୍ଥାନ ଉପରେ ବଟାହଳଦୀ ଲେପଦେବ ।

 

ବାଘ କାମୁଡ଼ିଥିଲେ କ୍ଷତସ୍ଥାନରେ ମନୁଷ୍ୟମଳ ବୋଳି ଦେଲେ ଉପକାର ହୁଏ । ତିନିଗୋଟା ବାଘନଖୀ ଫଳକୁ ଚୂର୍ଣ୍ଣ କରି ଅଧପା ନିରୋଳା ସୋରିଷତେଲରେ ପାକ କରି ରଖିବ । କ୍ଷତସ୍ଥାନ ନିତ୍ୟ ଧୋଇ ପରେ ସେହି ତେଲକୁ ଉଷ୍ମ କରି କ୍ଷତ ଉପରେ ଲଗାଉଥିବ । ଏହିପରି ପାଞ୍ଚଦିନ ଯାଏ କରିବ । ଦେହରେ ଅନ୍ୟ ତେଲ ଲଗାଇବା ଓ ସ୍ନାନ କରିବା ନିଷେଧ । ଏକମାସ ଯାଏ ସ୍ତ୍ରୀ ସହବାସ କରିବ ନାହିଁ ।

 

ବଚ, ହେଙ୍ଗୁ, ବିଡ଼ଙ୍ଗ, ସୈନ୍ଧବଲୁଣ, ଗକପିପଳୀ, ଅକାନବିନ୍ଧ, ଅତୁସୀ, ଶୁଣ୍ଠୀ, ପିପଳୀ ଓ ମରିଚ ଏହି ଦଶ ଦ୍ରବ୍ୟର ମିଶ୍ରଣକୁ ସେବନ କଲେ କୀଟ ଦଂଶନ ବିଷ ନଷ୍ଟ ହୁଏ ।

 

ଦଂଷ୍ଟ ବିଷର ଚିକିତ୍ସାପରି ଜଳୌକା (ଜୋକ) ବିଷର ଚିକିତ୍ସା କରିବ ।

 

କୁଙ୍କୁମ, ମନଃଶିଳା, କଙ୍କଡ଼ାମାଂସ, ହରିତାଳ ଓ କୁସୁମଫଳ ଏକତ୍ର ବାଟି ଗୋଲାକରି ଦଂଶନ କରିଥିବା ସ୍ଥାନରେ ଗଡ଼ାଇଲେ ଗୋଧି ଓ କୃକଲାସ ବିଷ ନଷ୍ଟ ହୁଏ ।

 

ଶିରିଷ ମଞ୍ଜିକୁ ବାଟି ତହିଁରେ ପତ୍ର ସିଝୁ କ୍ଷୀର ମିଶାଇ ଲେପଦେଲେ କିମ୍ବା ଧଳା ଆଙ୍କୁଲର ମୂଳ ଓ କୁଢ଼ର କ୍ୱାଥ ବା କଳ୍କ (ବଟା) ତିନିଦିନ ସେବନ କଲେ ବେଙ୍ଗ ବିଷ ନଷ୍ଟ ହୁଏ ।

 

କାଫଡ଼, ଅଶ୍ୱଗନ୍ଧା, ଗୋଜିହ୍ୱା, ଗୁଆଳିଲତା, ହଳଦୀ, ଦାରୁହଳଦୀ, ଏବଂ ଗେରୁମାଟି ଲେପଦେଲେ ନଖ ବିଷ ଓ ଦନ୍ତ ବିଷ ବିନଷ୍ଟ ହୁଏ ।

 

ଅରୁଆ ଚାଉଳଧୁଆ ପାଣିରେ ଖଣ୍ଡେ ଫୁଟୁଫୁଟିଆ ମୂଳ ବାଟି ଖାଇଲେ ସାପ,କୁକୁର ଏବଂ ବିଲୁଆ କାମୁଡ଼ା ବିଷ ନଷ୍ଟ ହୁଏ ।

 

ଫୁଲଫୁଟି ନ ଥିବା କାକୁଡ଼ିଗଛର ମୂଳ ବାଟି ଖାଇଲେ ସକଳ ପ୍ରକାର ବିଷଦୋଷ ନାଶ କରେ ।

 

କାଞ୍ଜିରେ ଲୁଣ ମିଶାଇ ପାନକଲେ ଚୁଚୁନ୍ଦ୍ରା ବିଷ ନଷ୍ଟ ହୁଏ ।

Image